Unknown

 

 

 

 

 

 

 

 

 

 

 

 

ଜୀବନ କାବ୍ୟ

ତପନ ପଟ୍ଟନାୟକ

 

ପରିଚୟ

 

ତପନ ପଟ୍ଟନାୟକଙ୍କ ରଚିତ 'ଜୀବନ କାବ୍ୟ' ହେଉଛି ଏକ ହୃଦୟସ୍ପର୍ଶୀ ଉପନ୍ୟାସ, ଯାହା ପ୍ରେମ, ସାଧନା, ସାମାଜିକ ପ୍ରତିବନ୍ଧକ ଏବଂ ଜୀବନର ଜଟିଳତାକୁ ଚିତ୍ରଣ କରିଛି । ଏଥିରେ ଜଣେ ଶିଳ୍ପୀର ଆବେଗ ଏବଂ ଜଣେ ନାରୀର ସଂଘର୍ଷ ଏକାକାର ହୋଇଯାଇଛି । କାହାଣୀର ନାୟକ ବିକାଶ ଏବଂ ନାୟିକା ଦୀପାନ୍ୱିତାଙ୍କ ପ୍ରେମ କେବଳ ଦୁଇଟି ମଣିଷର ମିଳନ ନୁହେଁ, ବରଂ ଏହା ଦୁଇଟି ଭିନ୍ନ ଜଗତର ସଂଘର୍ଷ । ଗୋଟିଏ ପଟେ ଅଛି ଆଭିଜାତ୍ୟର ଅହଙ୍କାର ଏବଂ ଅନ୍ୟପଟେ ଅଛି ଶିଳ୍ପୀର ସରଳ ସାଧନା । ପ୍ରେମ ଓ ଅନୁରାଗ କେବେ କ୍ଷଣଭଙ୍ଗୁର ନୁହେଁ; ଏହା ଯୁଗବ୍ୟାପୀ ଶାଶ୍ୱତ ଏବଂ ଚିରନ୍ତନ ବୋଲି ଉପନ୍ୟାସରେ ପ୍ରତିପାଦିତ ହୋଇଛି ।

 

ପୃଷ୍ଠଭୂମି

 

ଉପନ୍ୟାସର ଆରମ୍ଭ ଆନନ୍ଦପୁର ସହରର ଏମିତି ଏକ ଅପରିଷ୍କାର ଗଳିକୁ ନେଇଯାଏ, ଯେଉଁଠାରେ ଜଗୁରାମର ମଦ ଦୋକାନ ଅବସ୍ଥିତ । ଏହି ଅନ୍ଧକାରମୟ ସ୍ଥାନରୁ ହିଁ 'ପଙ୍କ ଭିତରେ ପଙ୍କଜ' ଭଳି ଶିଳ୍ପୀ ବିକାଶଙ୍କର ଜନ୍ମ । ବିକାଶ ଜଣେ ଅସାଧାରଣ ସିତାର ବାଦକ, କିନ୍ତୁ ସମାଜର ବିଡ଼ମ୍ବନା ଯୋଗୁଁ ସେ ଏକ ମଦ ଦୋକାନରେ ମ୍ୟାନେଜର ଭାବେ କାମ କରନ୍ତି । ଏହି ବହିଟି ଆମକୁ ଶିଖାଏ ଯେ ଜଣେ ଶିଳ୍ପୀର ପ୍ରତିଭା କୌଣସି ପରିବେଶର ଦାସ ନୁହେଁ; ଅନ୍ଧକାର ଗଳିରୁ ବି ସଙ୍ଗୀତର ଏମିତି ମୂର୍ଚ୍ଛନା ବାହାରିପାରେ, ଯାହା ଶିକ୍ଷିତ ସମାଜକୁ ସ୍ତବ୍ଧ କରିଦିଏ ।

 

ଏହି ପୁସ୍ତକଟି ପାଠକଙ୍କୁ ମନୁଷ୍ୟର ଭାବପ୍ରବଣତା ଏବଂ ବାସ୍ତବତା ମଧ୍ୟରେ ଥିବା ସୂକ୍ଷ୍ମ ପାର୍ଥକ୍ୟକୁ ବୁଝାଇଥାଏ । ବିକାଶଙ୍କ ଚରିତ୍ର ମାଧ୍ୟମରେ ଆମେ ଦେଖିବାକୁ ପାଉ ଯେ ଜଣେ ଶିଳ୍ପୀ କେମିତି ନିଜର ଦୁଃଖ ଓ ଯନ୍ତ୍ରଣାକୁ କଳା ମାଧ୍ୟମରେ ପ୍ରକାଶ କରେ । ବିକାଶଙ୍କ ପାଇଁ ପ୍ରେମ ପାଇବା ନୁହେଁ, ବରଂ ନିଜକୁ ନିଃଶେଷ କରି ଅନ୍ୟର ମଙ୍ଗଳ କାମନା କରିବା ହିଁ ଥିଲା ପ୍ରକୃତ ଧର୍ମ-। ଅନ୍ୟପଟେ ଦୀପାନ୍ୱିତାଙ୍କ ଚରିତ୍ରରେ ଆଦର୍ଶବାଦ ଏବଂ ପାରିବାରିକ ସମ୍ମାନର ଏକ ବିରାଟ ଦ୍ୱନ୍ଦ୍ୱ ଦେଖିବାକୁ ମିଳେ । ସେ ନିଜ ପ୍ରେମକୁ ବଳି ଦେଇ ବାପାଙ୍କ ଜୀବନ ଓ ପରିବାରର ଖାନ୍‍ଦାନୀ ସମ୍ମାନ ରକ୍ଷା କରିବାକୁ ଚାହିଁଛନ୍ତି, ଯାହା ତାଙ୍କୁ ସାରା ଜୀବନ ପାଇଁ ଏକ ଯନ୍ତ୍ରଣାର ନର୍କ ଭିତରକୁ ଠେଲି ଦେଇଛି ।

 

'ଜୀବନ କାବ୍ୟ' କେବଳ ଏକ ବିୟୋଗାନ୍ତକ ପ୍ରେମ କାହାଣୀ ନୁହେଁ, ବରଂ ଏହା ସମାଜର ଦୋମୁହାଁ ନୀତି ଉପରେ ଏକ କଠୋର ପ୍ରହାର । ସମାଜରେ ମଣିଷର ଚରିତ୍ର ନୁହେଁ, ବରଂ ତା’ର ସମ୍ପତ୍ତି ଓ ଆଭିଜାତ୍ୟକୁ ଗୁରୁତ୍ୱ ଦିଆଯାଏ । ଏହି ବହିଟି ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ ଯେ, କ’ଣ ପ୍ରକୃତରେ ପ୍ରେମର କୌଣସି ମୂଲ୍ୟ ନାହିଁ ? ଜଣେ ଶିଳ୍ପୀ କ’ଣ କେବଳ ଦୁଃଖ ପାଇବା ପାଇଁ ଜନ୍ମ ହୋଇଛି ?

 

ଉପନ୍ୟାସର ପ୍ରତିଟି ପୃଷ୍ଠାରେ ଲେଖକ ଆବେଗ ଏବଂ ଦର୍ଶନର ଏପରି ଏକ ଜାଲ ବୁଣିଛନ୍ତି, ଯେଉଁଥିରେ ପାଠକ ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିବ । ବିକାଶଙ୍କ ସିତାରର ସେଇ 'ମେଘମହ୍ଲାର' ରାଗିଣୀ ଆପଣଙ୍କ ହୃଦୟରେ ବହୁ ଦିନ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଥିବ । ଯଦି ଆପଣ ପ୍ରେମର ଗଭୀରତା, ଶିଳ୍ପୀର ସଂଘର୍ଷ ଏବଂ ମାନବିକତାର ଏକ ଅନନ୍ୟ ଗାଥା ପଢ଼ିବାକୁ ଚାହୁଁଛନ୍ତି, ତେବେ ତପନ ପଟ୍ଟନାୟକଙ୍କ ଏହି କାଳଜୟୀ ଉପନ୍ୟାସଟିକୁ ନିଶ୍ଚୟ ସମ୍ପୂର୍ଣ୍ଣ ପଢ଼ନ୍ତୁ । ଏହା ଆପଣଙ୍କୁ ଜୀବନର ଏକ ନୂଆ ଦର୍ଶନ ଶିଖାଇବ ଏବଂ ଆପଣଙ୍କ ଆଖିରେ ଲୁହ ସହ ମନରେ ଏକ ପ୍ରଶାନ୍ତି ଭରିଦେବ ।

 

ପୃଷ୍ଠଭୂମି

 

କାହାଣୀର ସହରୀ ପୃଷ୍ଠଭୂମି ହେଉଛି ଆନନ୍ଦପୁର, ଯେଉଁଠାରେ ସମାଜର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖିବାକୁ ମିଳେ । ଗୋଟିଏ ପଟେ ରହିଛି ରାୟ ସାହେବ ଶାରଦା ପ୍ରସନ୍ନଙ୍କ ଭଳି ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଆଭିଜାତ୍ୟପୂର୍ଣ୍ଣ ଅଟ୍ଟାଳିକା, ଯେଉଁଠାରେ 'ଖାନ୍‍ଦାନୀ' ସମ୍ମାନ ଏବଂ ବଂଶର ଗର୍ବ ସବୁକିଛି । ଅନ୍ୟପଟେ ରହିଛି ଆନନ୍ଦପୁରର ଏକ ଅନ୍ଧକାରମୟ, ଅପରିଷ୍କାର ଗଳି, ଯେଉଁଠାରେ ଜଗୁରାମର ମଦ ଦୋକାନ ଅବସ୍ଥିତ । ଏହି ଗଳିଟି ସମାଜର ନିମ୍ନବର୍ଗର ସଂଘର୍ଷ ଏବଂ ନୈତିକ ପତନର ପ୍ରତୀକ । ମଦ ଦୋକାନର ପରିବେଶକୁ ଲେଖକ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି-। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ରାତି ହେଲେ ବହୁ ଶିକ୍ଷିତ ଏବଂ ଭଦ୍ର ବୋଲାଉଥିବା ବ୍ୟକ୍ତି ନିଜର ମୁଖା ଖୋଲି ମଦ ନିଶାରେ ମାତାଲ ହୁଅନ୍ତି । ବିକାଶ ଭଳି ଜଣେ ପ୍ରତିଭାବାନ ଶିଳ୍ପୀ ଏହି ପଙ୍କିଳ ପରିବେଶରେ ରହି ନିଜ ଜୀବିକା ନିର୍ବାହ କରନ୍ତି । ସହରର ଏହି ରକ୍ଷଣଶୀଳ ସମାଜରେ ଜଣେ ମଦ ଦୋକାନର କର୍ମଚାରୀ କେବେବି ଜଣେ ସମ୍ଭ୍ରାନ୍ତ କନ୍ୟାର ସ୍ଵାମୀ ହେବା କଥା କେହି କଳ୍ପନା କରିପାରନ୍ତି ନାହିଁ । ଏହି ସାମାଜିକ ବ୍ୟବଧାନ କାହାଣୀର ପ୍ରମୁଖ ତରଙ୍ଗ, ଯାହା ପ୍ରେମ ଏବଂ ସମ୍ପର୍କ ମଧ୍ୟରେ ଏକ ବିରାଟ ପାଚେରୀ ସଦୃଶ ଠିଆ ହୋଇଛି ।

 

କାହାଣୀର ପ୍ରକୃତ ପ୍ରାଣ ହେଉଛି ମୁକ୍ତିସ୍ରୋତା ନଦୀ । ସହରର କୋଳାହଳ ଏବଂ ସାମାଜିକ ନିନ୍ଦାରୁ ଦୂରରେ ଏହି ନଦୀ କୂଳରେ ହିଁ ବିକାଶ ଏବଂ ଦୀପାନ୍ୱିତାଙ୍କ ପ୍ରେମ ପଲ୍ଲବିତ ହୋଇଛି । ନଦୀକୂଳର ସେଇ ନିର୍ଜନ ବାଲିଢ଼ିପ ଏବଂ ଝାଉଁବଣର ଏମିତି ଏକ ପରିବେଶ ବିକାଶଙ୍କ ପାଇଁ ସାଧନାର କ୍ଷେତ୍ର ପାଲଟିଛି ।

 

ନଦୀର ଏକ ପାର୍ଶ୍ୱରେ ଶ୍ମଶାନ ଏବଂ ଅନ୍ୟ ପାର୍ଶ୍ୱରେ ମସଜିଦ୍ ରହିଛି। ଏହା ଜୀବନ ଓ ମୃତ୍ୟୁର ଚରମ ସତ୍ୟକୁ ସୂଚାଏ । ଏହି ପରିବେଶ ଭିତରେ ବିକାଶ ନିଜ ସିତାରରେ ମେଘମହ୍ଲାର ରାଗିଣୀ ବଜାଇ ପ୍ରକୃତି ସହିତ ଏକାକାର ହୋଇଯାଆନ୍ତି । ନଦୀର ଜୁଆର ଏବଂ ଝାଉଁବଣର ଗର୍ଜନ ଚରିତ୍ରମାନଙ୍କର ମାନସିକ ସଂଘର୍ଷକୁ ପ୍ରକାଶ କରିବା ପାଇଁ ବ୍ୟବହୃତ ହୋଇଛି । ମୁକ୍ତିସ୍ରୋତା ନଦୀ କେବଳ ଏକ ଜଳରାଶି ନୁହେଁ, ବରଂ ଏହା ଚରିତ୍ରମାନଙ୍କର ସ୍ୱପ୍ନ, ଆଶା ଏବଂ ଶେଷରେ ସେମାନଙ୍କର ବିୟୋଗର ସାକ୍ଷୀ । 'ଜୀବନ କାବ୍ୟ'ର ପରିପ୍ରେକ୍ଷ୍ୟ ହେଉଛି ଏକ ବ୍ୟାପକ ସାମାଜିକ ଓ ମାନସିକ ଚିତ୍ରପଟ । ଏଠାରେ ସହରର କର୍ମଚଞ୍ଚଳତା, ଗଳିର ଅନ୍ଧକାର, ନଦୀର ପ୍ରଶାନ୍ତି ଏବଂ ମଶାଣିର ନୀରବତା ଏକାଠି ମିଶି ଜୀବନର ଏକ ଗଭୀର ଦର୍ଶନକୁ ଉପସ୍ଥାପନ କରନ୍ତି ।

 

ପ୍ରମୁଖ ପାତ୍ରମାନେ

 

ବିକାଶ ଏହି ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର ବା ନାୟକ । ତାଙ୍କ ବ୍ୟକ୍ତିତ୍ୱ ହେଉଛି ଜଣେ ପ୍ରକୃତ ଶିଳ୍ପୀର ବ୍ୟକ୍ତିତ୍ୱ । ସେ ଦୁନିଆର ବସ୍ତୁବାଦଠାରୁ ବହୁ ଦୂରରେ । ସେ ଏକ ମଦ ଦୋକାନରେ ମ୍ୟାନେଜର ଭାବେ କାମ କରୁଥିଲେ ବି ତାଙ୍କ ଅନ୍ତରରେ ସଙ୍ଗୀତର ଏକ ନିର୍ମଳ ଝରଣା ପ୍ରବାହିତ ହେଉଥିଲା । ସରଳତା ଏବଂ ଭାବପ୍ରବଣତା ତାଙ୍କର ଚରିତ୍ରର ସ୍ୱାତ୍ୟନ୍ତ୍ର ।

 

ବିକାଶଙ୍କ ପ୍ରେମ ନିଷ୍କାମ ଏବଂ ପବିତ୍ର । ସେ ଦୀପାନ୍ୱିତାଙ୍କୁ କେବଳ ଜଣେ ନାରୀ ଭାବେ ନୁହେଁ, ବରଂ ନିଜ ସାଧନାର ପ୍ରେରଣା ଭାବେ ଗ୍ରହଣ କରିଥିଲେ । ଦୀପାନ୍ୱିତାଙ୍କ ବିବାହ ପରେ ବିକାଶଙ୍କ ଜୀବନରେ ଯେଉଁ ଅନ୍ଧକାର ଆସିଲା, ତାହା ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା । ସେ ନିଜର ବେଦନାକୁ ଭୁଲିବା ପାଇଁ ମଦର ଆଶ୍ରୟ ନେଲେ, ଯାହା ଶେଷରେ ତାଙ୍କ ମୃତ୍ୟୁର କାରଣ ସାଜିଲା । ବିକାଶଙ୍କ ଚରିତ୍ର ଆମକୁ ଶିଖାଏ ଯେ ଜଣେ ଶିଳ୍ପୀ ପାଇଁ ତା’ର ପ୍ରେମ ଓ କଳା ହିଁ ସବୁକିଛି ସେ ସାଧନା ଓ ସଂଘର୍ଷର ଶିଳ୍ପୀ।

 

ଜଣେ ଶିକ୍ଷିତା ଏବଂ ଦର୍ଶନ ଶାସ୍ତ୍ରର ଅଧ୍ୟାପିକା ଦିପାନ୍ୱିତା ହେଉଛନ୍ତି କାହାଣୀର ନାୟିକା-। ସେ ସମ୍ଭ୍ରାନ୍ତ ପରିବାରର କନ୍ୟା ହୋଇଥିଲେ ବି ତାଙ୍କ ମନରେ କଳା ପ୍ରତି ଅହେତୁକ ଶ୍ରଦ୍ଧା ରହିଥିଲା । ବିକାଶଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ଆତ୍ମିକ। ତାହା ସମାଜର ଜାତି-ପ୍ରଥା ବା ଧନୀ-ଗରିବ ଭେଦଭାବକୁ ମାନୁନଥିଲା ।

 

ଦୀପାନ୍ୱିତାଙ୍କ ଚରିତ୍ରରେ ଅସହାୟତା ଦେଖିବାକୁ ମିଳେ । ବାପାଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ସେ ନିଜର ପ୍ରେମକୁ ବଳି ଦେଇଥିଲେ । ବିବାହ ପରେ ତାଙ୍କ ଜୀବନରେ ଯେଉଁ ବିପର୍ଯ୍ୟୟ ଆସିଲା, ସେଥିପାଇଁ ସେ ନିଜକୁ ସବୁବେଳେ ଦୋଷୀ ମନେ କରୁଥିଲେ । ସେ ଜଣେ ଅତ୍ୟନ୍ତ ସମର୍ଥ ନାରୀ, ଶାଶୁଘରର ନିର୍ଯାତନା ସହି ମଧ୍ୟ ନିଜର ଆତ୍ମସମ୍ମାନ ହରାଇ ନାହାଁନ୍ତି । ବିକାଶଙ୍କ ମୃତ୍ୟୁପରେ ତାଙ୍କର ନିରୁଦ୍ଦିଷ୍ଟ ହୋଇଯାଇଥିବା ପାଠକ ମନରେ ଏକରୁଣ ପ୍ରଶ୍ନବାଚୀ ଛାଡିଯାଏ । ଆନନ୍ଦ ଓ ବାସ୍ତବତା ମିଳନର ଦ୍ୱନ୍ଦର ପ୍ରତୀକ ପାଲଟିଛନ୍ତି । ଦୀପାନ୍ୱିତାଙ୍କ ବାପା ଶାରଦା ପ୍ରସନ୍ନ ଜଣେ ପ୍ରତିଷ୍ଠିତ ଜମିଦାର । ତାଙ୍କ ଚରିତ୍ରରେ ପରିବାରର ସମ୍ମାନ ଏବଂ ରକ୍ଷଣଶୀଳତା ଭରି ରହିଛି । ସେ ବିକାଶଙ୍କୁ ଜଣେ ମଦ ଦୋକାନର କର୍ମଚାରୀ ଭାବେ ଦେଖୁଥିଲେ, ଜଣେ ଶିଳ୍ପୀ ଭାବେ ନୁହେଁ । ଝିଅର ସୁଖ ଅପେକ୍ଷା ସମାଜରେ ନିଜର ମାନ-ମର୍ଯ୍ୟାଦାକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ, ଯାହା ଦ୍ୱାରା ସେ ଦୀପାନ୍ୱିତାଙ୍କୁ ଏକ ଦୁଃଖଦ ଜୀବନ ଆଡ଼କୁ ଠେଲି ଦେଇଥିଲେ । କିନ୍ତୁ କାହାଣୀର ଶେଷ ଭାଗରେ ସେ ନିଜର ଭୁଲ୍ ବୁଝିପାରି ଅନୁତପ୍ତ ହୋଇଥିଲେ, ଯାହା ତାଙ୍କ ଭିତରେ ଥିବା ମାନବିକତାକୁ ଦର୍ଶାଏ । ପାରମ୍ପାରିକ ଗର୍ବର ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସେ ପରିବର୍ତ୍ତନ ପର୍ଯ୍ୟାୟର ବିସ୍ତାର ପରିବର୍ତ୍ତନ କରିଛନ୍ତି ।

 

ଶିଲାବାଈଙ୍କ ଚରିତ୍ର ଏହି ଉପନ୍ୟାସର ଅନ୍ୟତମ ଉଜ୍ଜ୍ୱଳ ଚରିତ୍ର । ସେ ଜଣେ ନର୍ତ୍ତକୀ ବା ବେଶ୍ୟା ଭାବେ ପରିଚିତା ହେଲେ ମଧ୍ୟ ତାଙ୍କର ହୃଦୟ ଜଣେ ପବିତ୍ର ନାରୀର ହୃଦୟଠାରୁ କମ୍ ନୁହେଁ । ସେ ବିକାଶଙ୍କୁ ନିଜ ଜୀବନର ସାଥୀ ଭାବେ ମନେମନେ ବରି ନେଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ତାଙ୍କର ସେବା କରିଥିଲେ । ଶିଲାବାଈଙ୍କ ତ୍ୟାଗ ଏତେ ମହାନ ଥିଲା ଯେ, ସେ ବିକାଶଙ୍କୁ ଦୀପାନ୍ୱିତାଙ୍କ ସହିତ ମିଳନ କରାଇବାକୁ ମଧ୍ୟ ନିଜ ପ୍ରେମକୁ ବଳି ଦେଇଥିଲେ ଏବଂ ନିଜର ସମସ୍ତ ସମ୍ପତ୍ତି ବିକାଶଙ୍କ ନାମରେ ଉଇଲ୍ କରି ଅଜ୍ଞାତ ପଥରେ ଚାଲିଯାଇଥିଲେ ।

 

ଲତିକା ଜଣେ ଆଦର୍ଶ ମହିଳା ଚରିତ୍ର, ସେ ଦୀପାନ୍ୱିତାଙ୍କ ବାନ୍ଧବୀ ଏବଂ ବିକାଶଙ୍କର ଭାଉଜ ଭଳି ସମ୍ମାନ ପାଇଥିଲେ । ସେ ଦୁଇଟି ପ୍ରେମୀ ହୃଦୟ ମଧ୍ୟରେ ସେତୁ ସଦୃଶ ଥିଲେ । ଲତିକାଙ୍କ ଚରିତ୍ରରେ ଧୈର୍ଯ୍ୟ ଏବଂ ବୁଦ୍ଧିମତା ରହିଛି । ସେ ସମସ୍ତ ସଙ୍କଟ ସମୟରେ ବିକାଶ ଏବଂ ଦୀପାନ୍ୱିତାଙ୍କ ସାଥିରେ ଠିଆ ହୋଇଛନ୍ତି ।

 

ସତ୍ୟବ୍ରତ ଜଣେ ଶିକ୍ଷିତ ଇଞ୍ଜିନିୟର, ଯିଏ ଦୀପାନ୍ୱିତାଙ୍କୁ ବିବାହ କରିଥିଲେ । ତାଙ୍କ ଚରିତ୍ରରେ ମଧ୍ୟ ଏକ ପ୍ରକାରର କାରୁଣ୍ୟ ଅଛି । ସେ ନିଜ ପତ୍ନୀଙ୍କର ଅତୀତ ସମ୍ପର୍କ ବିଷୟରେ ଜାଣିବା ପରେ ସହିପାରିନଥିଲେ ଏବଂ ଅବ୍ୟକ୍ତ ଯନ୍ତ୍ରଣାରେ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ପ୍ରାଣ ହରାଇଥିଲେ ।

 

ସୁବ୍ରତ ହେଉଛନ୍ତି ସତ୍ୟବ୍ରତଙ୍କ ସାନ ଭାଇ ଏବଂ ଦୀପାନ୍ୱିତାଙ୍କ ଦିଅର । ସେ ମେଡିକାଲ ପଢୁଥିଲେ ମଧ୍ୟ ତାଙ୍କର ଚରିତ୍ର ଖୁବ୍ ନୀଚ । ସେ ଦୀପାନ୍ୱିତାଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ସେ ସମ୍ଭ୍ରାନ୍ତ ଶ୍ରେଣୀର ପୁରୁଷମାନଙ୍କ ଭିତରେ ଲୁଚି ରହିଥିବା ପଶୁତ୍ୱର ଏକ ଜ୍ୱଳନ୍ତ ଉଦାହରଣ ।

 

ଜଗୁରାମ ମଦ ଦୋକାନର ମାଲିକ, ଯିଏ କେବଳ ନିଜ ସ୍ୱାର୍ଥ ଓ ଲାଭ ବିଷୟରେ ଚିନ୍ତା କରେ । ଅନ୍ୟପଟେ ରାମୁକାକା ବିକାଶଙ୍କର ଗୁରୁ ଏବଂ ପିତା ସମାନ ପାଳନକର୍ତ୍ତା । ସେ ବିକାଶଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ ଏବଂ ଜୀବନର ବାସ୍ତବତା ବିଷୟରେ ସତର୍କ କରାଇଥିଲେ ।

 

ଦୀପାନ୍ୱିତାଙ୍କ ସାନ ଭାଇ,ଶଶାଙ୍କ ପ୍ରଥମେ ଖୁବ୍ ଏକଜିଦିଆ ଓ ରାଗି ଥିଲେ ମଧ୍ୟ ପରେ ନିଜ ଭଉଣୀ ପାଇଁ ଅନୁତାପ କରିଥିଲେ ।

 

ବିଷୟବସ୍ତୁ

 

କାହାଣୀର ଆରମ୍ଭ ହୁଏ ଆନନ୍ଦପୁର ସହରରୁ, ସେ ସହରରେ ଜଣେ ପ୍ରତିଭାବାନ ସିତାର ବାଦକ ବିକାଶ ଏବଂ କଲେଜର ଦର୍ଶନ ଶାସ୍ତ୍ର ଅଧ୍ୟାପିକା ଦୀପାନ୍ୱିତାଙ୍କ ମଧ୍ୟରେ ଏକ ସଙ୍ଗୀତ ଉତ୍ସବରେ ପରିଚୟ ହୁଏ । ବିକାଶ ସମାଜର ଏକ କଳଙ୍କିତ ଗଳିରେ ବାସ କରନ୍ତି, ଗୋଟିଏ ମଦ ଦୋକାନରେ ତାଙ୍କୁ ଖଟିଖିଆ ଚାକର ଭାବେ କାମ କରିବାକୁ ପଡ଼େ । କିନ୍ତୁ ତାଙ୍କ ଅଙ୍ଗୁଳିର ଯାଦୁରେ ସିତାରର ଯେଉଁ ଝଙ୍କାର ଉତ୍ପନ୍ନ ହୁଏ, ତାହା ଯେ କୌଣସି ପାଷାଣ ହୃଦୟକୁ ତରଳାଇ ଦେବା ପାଇଁ ଯଥେଷ୍ଟ ।

 

ଦୀପାନ୍ୱିତା ଜଣେ ସମ୍ଭ୍ରାନ୍ତ ପରିବାରର କନ୍ୟା ହୋଇଥିଲେ ବି ବିକାଶଙ୍କ କଳାରେ ସେ ଏତେ ମୁଗ୍ଧ ହୋଇଯାଆନ୍ତି ଯେ ତାଙ୍କ ଭିତରେ ଥିବା ଦାରିଦ୍ର୍ୟକୁ ସେ ଦେଖିପାରନ୍ତି ନାହିଁ । ଦୀପାନ୍ୱିତାଙ୍କ ପାଇଁ ବିକାଶ କେବଳ ଜଣେ ସିତାର ବାଦକ ନଥିଲେ, ବରଂ ସେ ଥିଲେ ତାଙ୍କ ଜୀବନ କାବ୍ୟର ନାୟକ । ପ୍ରଥମ ସାକ୍ଷାତରୁ ହିଁ ଦୁହିଁଙ୍କ ମଧ୍ୟରେ ଏକ ଅନାବିଳ ପ୍ରେମର ସୂତ୍ରପାତ ହୁଏ ।

 

ବିକାଶ ଏବଂ ଦୀପାନ୍ୱିତାଙ୍କ ପ୍ରେମ କ୍ରମଶଃ ଘନିଷ୍ଠ ହେବାକୁ ଲାଗେ । ସହରର କୋଳାହଳଠାରୁ ଦୂରରେ, ମୁକ୍ତିସ୍ରୋତା ନଦୀର କୂଳରେ ସେମାନେ ନିଜର ଏକ ସ୍ୱପ୍ନର ଦୁନିଆ ଗଢ଼ନ୍ତି । ନଦୀକୂଳର ସେଇ ନିର୍ଜନ ବାଲିଢିପ ଉପରେ ସେମାନେ ଏକ କ୍ଷୁଦ୍ର କୁଡ଼ିଆ ତିଆରି କରନ୍ତି, ଯାହାର ନାମ ଦିଅନ୍ତି 'କାବ୍ୟକଳା ଭବନ' । ଦୀପାନ୍ୱିତା ଚାହୁଁଥିଲେ ଯେ ବିକାଶ ତାଙ୍କର ସମସ୍ତ ସାଧନା ସେଇଠାରେ କରନ୍ତୁ ଏବଂ ସେ ତାଙ୍କର ସହାୟିକା ହୋଇ ସବୁଦିନ ରୁହନ୍ତୁ । ଏହି ସମୟରେ ସେମାନଙ୍କ ସମ୍ପର୍କ ଏକ ଆଧ୍ୟାତ୍ମିକ ଉଚ୍ଚତାକୁ ସ୍ପର୍ଶ କରିଥିଲା । ଦୀପାନ୍ୱିତା ଶପଥ କରିଥିଲେ ଯେ ସେ ନିଜର ଆଭିଜାତ୍ୟ ଛାଡ଼ି ବିକାଶଙ୍କ ଦରିଦ୍ର ଜୀବନକୁ ଆପଣେଇ ନେବେ । ଦୀପାନ୍ୱିତାଙ୍କ ପରି ଜଣେ ଶିକ୍ଷିତା ନାରୀ ତାଙ୍କୁ ଭଲ ପାଇଛନ୍ତି ବୋଲି ସେ ନିଜକୁ ଭାଗ୍ୟବାନ ମନେ କରୁଥିଲେ। କିନ୍ତୁ ସମାଜ ଏବଂ ପରିବାରର ପାଚେରୀ ଏହି ପ୍ରେମର ପଥ ଓଗାଳି ଠିଆ ହୋଇଥିଲା ।

 

ଦୀପାନ୍ୱିତାଙ୍କ ବାପା ଶାରଦା ପ୍ରସନ୍ନ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ଯେତେବେଳେ ସେ ଦୀପାନ୍ୱିତା ଏବଂ ବିକାଶଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କ ଭିତରେ ଥିବା ଆଭିଜାତ୍ୟର ଅହଙ୍କାର ଜାଗ୍ରତ ହୋଇଉଠିଲା । ସେ ନିଜ ଝିଅକୁ ଜଣେ ମଦ ଦୋକାନର କର୍ମଚାରୀ ସହିତ ବିବାହ କରାଇବା କଥା କଳ୍ପନା ସୁଦ୍ଧା କରିପାରୁ ନଥିଲେ ।

 

ଶାରଦା ପ୍ରସନ୍ନ ଦୀପାନ୍ୱିତାକୁ ଅନେକ ବୁଝାଇବାକୁ ଚେଷ୍ଟା କଲେ ଏବଂ ଶେଷରେ ତାଙ୍କ ସମ୍ମାନର ଦ୍ୱାହି ଦେଇ ଆତ୍ମହତ୍ୟାର ଧମକ ମଧ୍ୟ ଦେଲେ । ବାପାଙ୍କ ଜୀବନ ରକ୍ଷା କରିବା ପାଇଁ ଏବଂ ପରିବାରର ସମ୍ମାନ ରକ୍ଷା କରିବା ପାଇଁ ଦୀପାନ୍ୱିତା ନିଜର ସମସ୍ତ ସୁଖକୁ ବଳି ଦେବାକୁ ବାଧ୍ୟ ହେଲେ । ସେ ବିକାଶଙ୍କୁ ପ୍ରତ୍ୟାଖ୍ୟାନ କରି ଇଞ୍ଜିନିୟର ଯୁବକ ସତ୍ୟବ୍ରତଙ୍କ ସହିତ ବିବାହ କରିବାକୁ ସମ୍ମତି ଦିଏ । ଏହି ନିଷ୍ପତ୍ତି ବିକାଶଙ୍କ ଜୀବନକୁ ସମ୍ପୂର୍ଣ୍ଣ ଅନ୍ଧକାରମୟ କରିଦେଲା ।

 

ଦୀପାନ୍ୱିତା ଏବଂଇଂଜିନିୟର ସତ୍ୟବ୍ରତଙ୍କ ବିବାହ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ସମ୍ପନ୍ନ ହେଲା । କିନ୍ତୁ ଏହି ବିବାହର ଭିତ୍ତି ସତ୍ୟ ଉପରେ ନୁହେଁ, ବରଂ ଏକ ପ୍ରତାରଣା ଉପରେ ଠିଆ ହୋଇଥିଲା । ବିବାହର ଚତୁର୍ଥୀ ରାତିରେ ସତ୍ୟବ୍ରତ ଦୀପାନ୍ୱିତାଙ୍କ ପାଖରୁ ବିକାଶଙ୍କ ଦ୍ୱାରା ଲିଖିତ କିଛି ପ୍ରେମ ପତ୍ର ପାଇ ପତ୍ନୀଙ୍କର ଅତୀତ ସମ୍ପର୍କ ବିଷୟରେ ଜାଣିବା ପରେ ସେ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି ।

 

ସେଇ ରାତିରେ ଅତ୍ୟଧିକ ମଦ୍ୟପାନ କରି ସତ୍ୟବ୍ରତ ଗାଡ଼ି ନେଇ ବାହାରକୁ ବାହାରି ଗଲେ ଏବଂ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଲା । ଦୀପାନ୍ୱିତାଙ୍କ ପାଇଁ ଏହା ଏକ ଶକ୍ତ ଧକ୍କା ଥିଲା । ବିବାହର ତିନି ଚାରି ଦିନ ଭିତରେ ହିଁ ସେ ବିଧବା ହୋଇଗଲେ । ସମାଜର ଲୋକମାନେ ତାଙ୍କୁ ଦୋଷ ଦେବା ଆରମ୍ଭ କରନ୍ତି ଏବଂ ତାଙ୍କୁ ଅଲକ୍ଷଣୀ ବୋଲି କହିବା ଆରମ୍ଭ କରିଦେଲେ ।

 

ସ୍ୱାମୀଙ୍କ ମୃତ୍ୟୁପରେ ଦୀପାନ୍ୱିତାଙ୍କୁ ତାଙ୍କ ଶ୍ୱଶୁରାଳୟରେ ରହିବାକୁ ପଡ଼ିଲା । ତାଙ୍କ ଶାଶୁ ରମା ଦେବୀ ଜଣେ ଦୟାବତୀ ନାରୀ ଥିଲେ ସତ, କିନ୍ତୁ ଦୀପାନ୍ୱିତାଙ୍କ ଭାଗ୍ୟର ବିପର୍ଯ୍ୟୟ ଆଗରେ ସେ ଅସହାୟ ଥିଲେ । ଏହି ସମୟରେ ଦୀପାନ୍ୱିତାଙ୍କ ଜୀବନରେ ଏକ ନୂତନ ବିପଦ ଭାବେ ଠିଆ ହେଲେ ତାଙ୍କ ଦିଅର ସୁବ୍ରତ । ସୁବ୍ରତ ମେଡିକାଲ ପଢ଼ୁଥିଲେ ବି ତାଙ୍କ ଚରିତ୍ରରେ ପଶୁତ୍ୱ ଭରି ରହିଥିଲା ।

 

ସେ ଦୀପାନ୍ୱିତାଙ୍କୁ ଅସମ୍ମାନିତ କରିବାକୁ ଚେଷ୍ଟା କରନ୍ତି ଏବଂ ତାଙ୍କୁ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ନିର୍ଯାତନା ଦେଲେ । ସୁବ୍ରତଙ୍କ ଏହି କୁତ୍ସିତ ମନୋଭାବ ଯୋଗୁଁ ଦୀପାନ୍ୱିତା ସେଇ ଘରେ ରହିବା ଅସମ୍ଭବ ମନେ କଲେ । ଶେଷରେ ସେ ନିଜ ବାପଘରକୁ ଫେରିଆସିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ତାଙ୍କ ଭାଉଜ ଅନୁପମାଙ୍କଠାରୁ ଅନେକ କଟୁକ୍ତି ଶୁଣିବାକୁ ପଡ଼ିଲେ । ଅନ୍ୟପରେ

 

ଦୀପାନ୍ୱିତାଙ୍କ ବିବାହ ପରେ ବିକାଶଙ୍କ ଜୀବନ ସମ୍ପୂର୍ଣ୍ଣ ବିଶୃଙ୍ଖଳିତ ହୋଇଗଲା । ସେ ଦୀପାନ୍ୱିତାଙ୍କୁ ଭୁଲିବା ପାଇଁ ଅତ୍ୟଧିକ ମଦ୍ୟପାନ କରିବା ଆରମ୍ଭ କରିଦେଲେ । ଯେଉଁ ହାତରେ ସେ ସିତାରର ସୁନ୍ଦର ସ୍ୱର ତୋଳୁଥିଲେ, ସେଇ ହାତରେ ସେ ମଦ ବୋତଲ ଧରିବାକୁ ବାଧ୍ୟ ହେଲେ । ମଦ ତାଙ୍କ ଶରୀରକୁ ଧୀରେ ଧୀରେ ନଷ୍ଟ କରିଦେଲା ଏବଂ ସେ ଲିଭରସିରୋସିସ୍ ଲିଭର ପରି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ ।

 

ତାଙ୍କର ଏହି ଦୁର୍ଦ୍ଦଶା ସମୟରେ ଜଗୁରାମ ପରି ସ୍ୱାର୍ଥପର ମାଲିକ ମଧ୍ୟ ତାଙ୍କୁ ରାସ୍ତାକୁ ଫିଙ୍ଗି ଦେଲେ । ଏହି ଦୁର୍ଦ୍ଦିନସମୟରେ ନର୍ତ୍ତକୀ ଶିଲାବାଈ ବିକାଶଙ୍କ ଜୀବନରେ ପ୍ରବେଶ କଲେ । ବିକାଶଙ୍କୁ ପ୍ରକୃତରେ ଭଲ ପାଉଥିଲେ ଏବଂ ତାଙ୍କର ସେବା କରିବାକୁ ଚାହୁଁଥିଲେ । ଶେଷରେ ଶିଲା ନିଜର ସମସ୍ତ ସମ୍ପତ୍ତି ବିକାଶଙ୍କ ନାମରେ ଉଇଲ୍ କରିଦେଇ ଏକ ଅଜ୍ଞାତ ପଥରେ ଚାଲିଗଲେ । ଏହା ପ୍ରମାଣ କରେ ଯେ ପ୍ରେମ କେବଳ ପାଇବା ନୁହେଁ, ବରଂ ତ୍ୟାଗ କରିବାରେ ହିଁ ଏହାର ମହତ୍ତ୍ୱ ଲୁଚି ରହିଛି ।

 

କାହାଣୀର ପରିସମାପ୍ତି ଅତ୍ୟନ୍ତ କରୁଣ । ଲତିକା ଭାଉଜଙ୍କ ସାହାଯ୍ୟରେ ଦୀପାନ୍ୱିତା ବିକାଶଙ୍କୁ ମୃତ୍ୟୁ ଶଯ୍ୟାରେ ଠାବ କଲେ । ବିକାଶ ସେତେବେଳକୁ ଜୀବନର ଶେଷ ମୁହୂର୍ତ୍ତ ଗଣୁଥିଲେ । ଦୀପାନ୍ୱିତା ତାଙ୍କ ପାଖକୁ ଫେରିଆସି ନିଜର ସମସ୍ତ ଭୁଲ୍ ସ୍ୱୀକାର କଲେ ଏବଂ ତାଙ୍କ କୋଳରେ ବିକାଶ ଶେଷ ନିଶ୍ୱାସ ତ୍ୟାଗ କରନ୍ତି । ମରିବା ସମୟରେ ବି ବିକାଶ ନିଜ ସିତାରରେ 'ମେଘମହ୍ଲାର' ରାଗିଣୀ ବଜାଇ ଚାଲିଥିଲେ । ତାଙ୍କ ମୃତ୍ୟୁ ପରେ ଦୀପାନ୍ୱିତା ପୁଣିଥରେ ଏକୁଟିଆ ହୋଇଗଲେ ଏବଂ ତାଙ୍କର ପରବର୍ତ୍ତୀ ଜୀବନ ରହସ୍ୟ ଘେରରେ ରହିଗଲା ।

 

ସମାଜର ରୀତିନୀତି ଏବଂ ଆଭିଜାତ୍ୟର ଗର୍ବ ପ୍ରେମର ପବିତ୍ରତାକୁ ନଷ୍ଟ କରିପାରେ, କିନ୍ତୁ ଆତ୍ମାର ସମ୍ପର୍କକୁ କେବେହେଲେ ଭାଙ୍ଗିପାରେ ନାହିଁ । ବିକାଶ ଏବଂ ଦୀପାନ୍ୱିତାଙ୍କ ଅମର ପ୍ରେମ କାହାଣୀ ମଧ୍ୟରେ ସଂଘର୍ଷ ଏବଂ ଭାବପ୍ରବଣତାର ଉପନ୍ୟାସକୁ ଅଧିକ ରସୋତ୍ତୀର୍ଣ୍ଣ କରିଛି-

 

ଉପସଂହାର

 

'ଜୀବନ କାବ୍ୟ'ର ଉପନ୍ୟାସର ଜୀବନର ସମସ୍ତ ପିପାସା, ଅତୃପ୍ତି ଏବଂ ଅସମାପ୍ତ ସ୍ୱପ୍ନର ଏକ ଗଭୀର ମନସ୍ତାତ୍ତ୍ୱିକ ବିଶ୍ଳେଷଣ । ଉପନ୍ୟାସର ଶେଷଭାଗରେ ପାଠକକୁ ଏକ ଏମିତି ଚିନ୍ତାଧାରାକୁ ନେଇଯାଏ, ପ୍ରେମ, ତ୍ୟାଗ ଏବଂ ମୃତ୍ୟୁ ଏକାକାର ହୋଇଯାଇଛନ୍ତି ।

 

ଉପନ୍ୟାସର ଉପସଂହାରରେ ଏକ ମର୍ମନ୍ତୁଦ ପରିବେଶ ମିଳିଥାଏ । ମୃତ୍ୟୁର ଶେଷ ଶଯ୍ୟାରେ ପଡ଼ିଥିବା ବିକାଶର ଦେହ ଶିଥିଳ ହୋଇଯାଇଛି, ବାନ୍ତିରେ କେବଳ ରକ୍ତ ବାହାରୁଛି, କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ଦୀପାନ୍ୱିତା ତାଙ୍କ ପାଖକୁ ଫେରିଲେ କିନ୍ତୁ ସେ ଆଉ ସେଇ ପୂର୍ବର ଚଞ୍ଚଳା ଦୀପାନ୍ୱିତା ନଥିଲା; ସେ ଥିଲା ଶ୍ରୀହୀନା, ବୈଧବ୍ୟର ଧଳା ଶାଢ଼ିରେ ଜୁଡ଼ୁବୁଡ଼ୁ ଜଣେ ଅସହାୟା ନାରୀ ।

 

ବିକାଶ ଶେଷ ପର୍ଯ୍ୟନ୍ତ ନିଜର ସିତାରକୁ ଛାଡ଼ିନଥିଲେ । ସେ ମୃତ୍ୟୁଶଯ୍ୟାରେ ଶୋଇ ମଧ୍ୟ 'ମେଘମହ୍ଲାର' ରାଗିଣୀ ବଜାଉଥିଲେ । ତାଙ୍କ ଅଙ୍ଗୁଳିରୁ ରକ୍ତ ବାହାରୁଥିଲେ ବି ସେ ସଙ୍ଗୀତରେ ନିମଗ୍ନ ଥିଲେ । ଏହି ଦୃଶ୍ୟ ସୂଚାଇ ଦିଏ ଯେ ଶିଳ୍ପୀ ଜୀବନର ଯନ୍ତ୍ରଣାକୁ କେବଳ ତା’ର କଳା ମାଧ୍ୟମରେ ହିଁ ପ୍ରକାଶ କରିପାରେ । ବିକାଶଙ୍କ ପାଇଁ ସିତାର କେବଳ ଏକ ବାଦ୍ୟଯନ୍ତ୍ର ନଥିଲା, ବରଂ ତାଙ୍କ ଜୀବନର ସମସ୍ତ ଅକୁହା କଥାର ଏକ ଭାଷା ଥିଲା । ଶିଳ୍ପୀ ଓ ସାଧନାର ପରିପୂର୍ଣ୍ଣତା ହିଁ ଲେଖକଙ୍କ ପାଖରେ ପର୍ଯ୍ୟବେସିତ ହୋଇଥିଲା ।

 

ଯେଉଁ ଶାରଦା ପ୍ରସନ୍ନ ଏବଂ ଶଶାଙ୍କ ଦିନେ ବିକାଶକୁ ଘୃଣା କରୁଥିଲେ, ସେମାନେ ନିଜର ଭୁଲ୍ ବୁଝିପାରିଲେ । ଶାରଦା ପ୍ରସନ୍ନ ନିଜ ଝିଅର ମନ ବୁଝିପାରିଲେ ନାହିଁ ବୋଲି ଶେଷରେ ଅନୁତାପ କରିଛନ୍ତି ।

 

ଉପନ୍ୟାସର ସମାପ୍ତି ଘଟିଛି ମୁକ୍ତିସ୍ରୋତା ନଦୀର କୂଳରେ, ଅତୀତର ସେଇ ବାଲିଢିପ ନାହିଁ କି ସେଇ କୁଡ଼ିଆ ଘର ନାହିଁ । ସେଠାରେ ଅଛି କେବଳ ଶିଳ୍ପୀ ବିକାଶର ଏକ ସୁନ୍ଦର ସମାଧି-। ଏହି ସମାଧି ସୂଚାଏ ଯେ ଜଣେ ଶିଳ୍ପୀର ଶରୀର ନଷ୍ଟ ହୋଇଯାଇପାରେ, କିନ୍ତୁ ତା’ର ଶିଳ୍ପ ଏବଂ ତା’ର ସ୍ମୃତି ଚିରକାଳ ଅମର ରହେ ।

 

ଆନନ୍ଦପୁର ସହର ବଦଳି ଯାଇଛି, ବିକାଶଙ୍କ ନାମରେ ଏକ କଳା ଅନୁଷ୍ଠାନ ଗଢ଼ାଯାଇଛି, କିନ୍ତୁ ଦୀପାନ୍ୱିତା କେଉଁଠି ହଜିଯାଇଛି ତାହା କେହି ଜାଣନ୍ତି ନାହିଁ । ସେ ବଞ୍ଚିଛି କି ମରିଛି, ତାହା ଏକ ରହସ୍ୟ ହୋଇ ରହିଯାଇଛି ।

 

ଜୀବନକାବ୍ୟ ହେଉଛି ଅନ୍ୟନ୍ୟ ପ୍ରେମ, ସାମାଜିକ ବାସ୍ତବତା ଓ ଜଣେ ଶିଳ୍ପୀର ଶୀର୍ଷକ କାହାଣୀ, ଆନନ୍ଦ ଓ ବିଷାଦର ମିଶ୍ରିତ ଆଲୋକ ।

Image